ଜବାନପାଲ୍ଲୀ ବିଦ୍ୟାଳୟରେ ପରିବର୍ତ୍ତନ ସମାରୋହ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଜବାନପାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆଜି ପରିବର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଚଳିତ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରି କିପରି ବିଦ୍ୟାଳୟରେ ଯାଇ ପାଠ ପଢିପାରିବେ, ଝିଅ ଜନମ ପର ଘରକୁ ମାନସିକତା ନରଖି ସେମାନଙ୍କୁ କିପରି ସ୍ବାକ୍ଷରତା କରାଇବା, ବାଲ୍ୟବିବାହ ବନ୍ଧ କରି ଶିଶୁ କନ୍ୟାକୁ ପାଠ ପଢ଼ାଇବା, ବିଶେଷ କରି ଝିଅ ମାନଙ୍କ ଶିକ୍ଷା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା, ସ୍ବାସ୍ଥ୍ୟର ଉନ୍ନତି, ପରିବେଶ ଠିକ୍ ରଖିବା, ଗୁଣିଗାରେଡ଼ିକୁ ବିଶ୍ଵାସ ନକରି ଡାକ୍ତରଖାନା ଯିବା ଇତ୍ୟାଦି ସଂପର୍କରେ ସଚେତନତା ପାଇଁ ଏଠାରେ ସ୍ଵତନ୍ତ୍ର ପ୍ରୟାସ କରାଯାଇଛି । ପରିବର୍ତ୍ତନ ସମାରୋହକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ବାରୋଇ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ତା ହରଣ ମଧୁ, ନିତି ଆୟୋଗ ପିରାମେଲ ଫାଉଣ୍ଡେସନର କୋଡିନେଟର ଧର୍ମେନ୍ଦ୍ର କୁମାର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ । କାଲିମେଳା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏଠାରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଅବିଭାବକ, ସମସ୍ତ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ଥିଲେ । ତେବେ ପରିବର୍ତ୍ତନ ସମାରୋହରେ ମଞ୍ଚାସିନ ଅତିଥି ମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ବିଷୟରେ ସଚେତନତା କରିଥିଲେ । ତା ଛଡ଼ା ବିଭିନ୍ନ ଜିଲ୍ଲାର ୫ଜଣ କୃତି ଶିକ୍ଷକଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା । ସେହିପରି ସ୍ଥାନୀୟ ଗ୍ରାମାଞ୍ଚଳରେ ଭଲ କାମ କରିଥିବା ୧୨ ଜଣଙ୍କୁ ମଧ୍ୟ ଏହି ମଞ୍ଚରେ ସମ୍ମାନିତ କରାଯାଇଥିଲା । ଏବଂ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ତେଲାରାଇ ସିଆରସିସି ରାଜେନ୍ଦ୍ର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.