mobile header

କଥା ରଖିଲା କର୍ଣ୍ଣାଟକର କଂଗ୍ରେସ ସରକାର : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ୫ ନୂଆ ଯୋଜନା, ଖର୍ଚ୍ଚ ହେବ ୬୨,୦୦୦ କୋଟି

ନୂଆଦିଲ୍ଲୀ: ମତଦାନ ପରେ ବିପୁଳ ଭୋଟ ପାଇ ଜିତିଥିଲା କଂଗ୍ରେସ। ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏକ ନୂଆ ଆଶା ନେଇ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏବେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବ ବୋଲି କହିଛନ୍ତି ସିଦ୍ଦରାମେୟା। ଏହି ପ୍ରତିଶ୍ରୂତି ପୂରଣ ଲାଗି ୫ଟି ଯୋଜନା ହାତକୁ ନେଇଛନ୍ତି କର୍ଣ୍ଣାଟକର ନୂଆ ସରକାର। ଆକଳନ ଅନୁସାରେ ଏଥିଲାଗି ପ୍ରାୟ ୬୨୦୦୦ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହେବ।

ତେବେ ଆଜି ଆମେ କଂଗ୍ରେସର ୫ଟି ପ୍ରତିଶ୍ରୁତି ଏବଂ ଏହାକୁ ପୂରଣ କରିବା ପାଇଁ ଦଳ କେତେ କୋଟି ଟଙ୍କା ନୂଆ ସରକାର ଖର୍ଚ୍ଚ କରିବ ସେ ବିଷୟରେ ଜାଣିବା। କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ସମସ୍ତ ମହିଳାଙ୍କୁ ମାଗଣା ବସ୍ ପାସ୍, ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ୨୦୦୦ଟଙ୍କା ଭତ୍ତ‌ା, ପ୍ରତିମାସରେ ସ୍ନାତକ କରି ବେରୋଜଗାର ଥିବା ଯୁବପିଢ଼ିଙ୍କୁ ୫୦୦୦ଟଙ୍କା ଓ ଡିପ୍ଲୋମାଧାରୀଙ୍କୁ ୧୫୦୦ଟଙ୍କା, ୧୦କିଲୋ ଚାଉଳ ଏବଂ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା କଂଗ୍ରେସ।

ଏସବୁ ଜନାଭିମୁଖୀ ଯୋଜନା ଲାଗୁ  କରିବା ପାଇଁ କଂଗ୍ରେସ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ୫ଟି ପ୍ରତିଶ୍ରୁତି ପାଇଁ ଦଳ ବର୍ଷକୁ ପ୍ରାୟ ୬୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଆକଳନ କରାଯାଇଛି।

ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ସରକାର ଆଣିବେ ଗୃହଜ୍ୟୋତି ଯୋଜନା। ଏଥିରେ ବର୍ଷକୁ ପ୍ରାୟ ୧୪,୪୩୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହା ଦ୍ବାରା ରାଜ୍ୟର ମୋଟ ବଜେଟର ୫% କେବଳ ମାଗଣା ବିଦ୍ୟୁତ ପାଇଁ ଖର୍ଚ୍ଚ ହେବ। ସେହିଭଳି ବେରୋଜଗାର ଭତ୍ତା ପାଇଁ ବାର୍ଷିକ ଖର୍ଚ୍ଚ ୩୦୦୦କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ରାଜ୍ୟର ମୋଟ ବଜେଟର ୧.୨ ପ୍ରତିଶତ । ଯୁବନିଧି ଯୋଜନାରେ ସ୍ନାତକ ବେକାରଙ୍କୁ ମାସିକ ୩୦୦୦ ଟଙ୍କା ଓ ଡିପ୍ଲୋମାଧାରୀ ବେକାରଙ୍କୁ ମାସିକ ୧୫୦୦ ଟଙ୍କା ଭତ୍ତା ଦିଆଯିବ।

ସେହିପରି ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ଭତ୍ତ‌ା ଦେବା କଂଗ୍ରେସର ୫ଟି ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କର୍ଣ୍ଣାଟକ ସରକାରଙ୍କୁ ପ୍ରତିବର୍ଷ ୩୦ହଜାର ୭୨୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ରାଜ୍ୟର ମୋଟ ବଜେଟର ୧୨.୫ ପ୍ରତିଶତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବ୍ୟୟ ହେବ। ଏହା ସହ ଗରିବ ବ୍ୟକ୍ତିଙ୍କୁ ଅନ୍ନଭାଗ୍ୟ ଯୋଜନାରେ ମାଗଣା ୧୦କିଲୋ ଚାଉଳ କିଂବା ଗହମ ଦିଆଗଲେ ପ୍ରତିବର୍ଷ ୫ହଜାର କୋଟି ଖର୍ଚ୍ଚ ହେବ ଏବଂ ରାଜ୍ୟର ମୋଟ ବଜେଟର ୨ପ୍ରତିଶତ ।

ତେବେ ପ୍ରତ୍ୟେକ ମହିଳାଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ପାଇଁ ସରକାର କେତେ ଖର୍ଚ୍ଚ କରିବେ, ତା’ର ତଥ୍ୟ ସାମ୍ନାକୁ ଆସିନାହିଁ। ‌ତେବେ ଏଥିରେ ପାଖାପାଖି ୧୦,୦୦୦ କୋଟି ଟଙ୍କା‌ ଖର୍ଚ୍ଚ ହୋଇପାରେ ‌ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.