mobile header

ପ୍ରାଣୀଧନ ନିରୀକ୍ଷକଙ୍କ କଳା ବ୍ୟାଚ ଓ ଡିଜିଟାଲ ଅସହଯୋଗ ଆନ୍ଦୋଳନ

ମାଲକାନଗିରି, ୩।୬: ରାଜ୍ୟ ନିଖିଳ ଓଡିଶା ପ୍ରାଣୀଧନ ବୈଷୟିକ କର୍ମଚାରୀ ସଂଘ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ସଭାପତି ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର କାଲିମେଳା, ପଡ଼ିଆ, ଚିତ୍ରକୋଣ୍ଡା, କୋରକୋଣ୍ଡା, ମାଲକାନଗିରି, ଖଇରପୁଟ ଓ ମାଥିଲି ୭ଟି ବ୍ଳକର ୪୫ଜଣ ପ୍ରାଣୀଧନ ନିରୀକ୍ଷକଙ୍କ ଗତ ୨୮ ତାରିଖ ଠାରୁ କଳା ବ୍ୟାଚ ଓ ରାଜ୍ୟ ସରକାରଙ୍କ ପାଖରେ ୫ ଦଫା ଦାବି ନେଇ ଅସହଯୋଗ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ଏନେଇ ଏକ ଦାବି ପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ୫ ଦଫା ଦାବି ମଧ୍ୟରେ ଯଥା ଅସଂଗତି ଦୂରୀକରଣ, ନିଯୁକ୍ତି ନିୟମରେ ସଂଶୋଧନ, କ୍ୟାଡର ପୁନର୍ଗଠନ ଓ କାର୍ଯ୍ୟ ସରଣୀର ସଂଶୋଧନ, ଦୁଇ ବର୍ଷିଆ ତାଲିମକୁ ବଳବତ୍ତର ରଖିବା ସହିତ ଡିପ୍ଲୋମା ମାନ୍ୟତା ପ୍ରଦାନ ଏବଂ ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଛୁଟି ଭିତ୍ତିକ ପ୍ରାଣୀଧନ ନିରୀକ୍ଷକଙ୍କ ଚାକିରୀ କାର୍ଯ୍ୟକୁ ନିୟମିତ କରି ସମସ୍ତ ଆର୍ଥିକ ପ୍ରଦାନ ଓ ପଦନ୍ନତି ସୁଯଗ ସୃଷ୍ଟି କରିବା ଅନ୍ତର୍ଭୁକ୍ତ। ଏହି ବିଭାଗରେ ତିନୋଟି କ୍ୟାଡର ଥିଲେ ହିଁ ଅନ୍ୟ ଦୁଇଟି କ୍ୟାଡର ପୁନ୍ନର୍ଗଠନ ହୋଇ ସାରିଥିଲେ ସୁଦ୍ଧା ଏହି କ୍ୟାଡର ପୁନ୍ନର୍ଗଠନ ଗତ ୪୦ବର୍ଷ ହେଲା ହୋଇ ନାହିଁ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସଙ୍ଘ ସହିତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସଙ୍ଘ ଏହି ଆଲୋଚନା ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଗଠନ ମୂଳକ ପ୍ରସ୍ତାବ ନ ଆସିବାରୁ ପୁଣି ଗତ ୨୮ ତାରିଖ ଠାରୁ କଳା ବ୍ୟାଚ ପରିଧାନ ସହ ସରକାରଙ୍କୁ କୌଣସି ପ୍ରକାରର ଡିଜିଟାଲ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟ ସ୍ଥଳରେ କାର୍ଯ୍ୟ ଜାରି ରଖିଛନ୍ତି କିନ୍ତୁ ସରକାରଙ୍କୁ କୌଣସି ପ୍ରକାର ଡିଜିଟାଲ ସୂଚନା ଦିଆଯାଉ ନଥିବା ସଙ୍ଘ ତରଫରୁ ସୂଚନା ଦିଆଯାଇଛି। ଯଦି ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ପୂରଣ ନହୁଏ ତାହେଲେ ଆଗାମୀ ଦିନରେ ସଙ୍ଘର କର୍ମକର୍ତ୍ତା ମାନେ କାର୍ଯ୍ୟ ବନ୍ଦ ସହିତ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି ବୋଲି ସଙ୍ଘର ସଂପାଦକ ପ୍ଲାବନ ସହାୟ, ଉପ ସଭାପତି କେତକୀ ନାୟକ ଓ ସହ ସମ୍ପାଦକ ତୁଷାର କାନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.