୨୦୨୪ ପାଇଁ ପଦ୍ମଶ୍ରୀ ଘୋଷଣା କଲେ ଭାରତ ସରକାର; ୩୪ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

ଓଡ଼ିଶାରୁ ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ପଦ୍ମଶ୍ରୀ ସମ୍ମାନ ପାଇଁ ୩୪ ଜଣଙ୍କ ନାଁ ଘୋଷଣା କରାଯାଇଛି । ଦେଶରେ ଅଜଣା ହିରୋଙ୍କୁ ଭାରତ ସରକାର ଏହି ପୁରସ୍କାର ଜରିଆରେ ସମାଜ ପ୍ରତି ସେମାନଙ୍କ ସେବାକୁ ସ୍ୱୀକୃତି ଦେଇଥାନ୍ତି । ଓଡ଼ିଶାରୁ ଦୁଇ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ଗଞ୍ଜାମ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ । ଗୋପୀନାଥ ସ୍ୱାଇଁ ଓଡ଼ିଆ ଲୋକ ଗୀତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁ ପାଞ୍ଚଟି ପ୍ରାଚୀନ ରାଗରେ ଗାଇବା ସହ ଶିକ୍ଷା ଦେଇଛନ୍ତି । ଦକ୍ଷିଣଶ୍ରୀ, ଚିନ୍ତା, ଦେଶକ୍ଷା, ତୋଡ଼ି ଭତିଆରି, କୁମ୍ଭ କାମୋଡି ପରି ପାଞ୍ଚଟି ରାଗରେ ଲୋକ ଗୀତ ଗାନ କରୁଥିଲେ । ସେ ଆଖାଡ଼ା (ପାରମ୍ପାରିକ ଗ୍ରାମ୍ୟ ସ୍କୁଲ) ସ୍ଥାପନ କରି ଶତାଧିକଙ୍କୁ ଏହା ଉପରେ ଶିକ୍ଷା ଦେଇଛନ୍ତି । ବୃଦ୍ଧାବସ୍ଥା ସତ୍ତ୍ୱେ ସେ ନିଜ କାମରୁ କେବେ ବି ଦୂରେଇ ନାହାନ୍ତି ।

ବରଗଡ଼ର ଶବ୍ଦ ନାଚ ଲୋକ ନୃତ୍ୟକୁ ଦୀର୍ଘ ୫ ଦଶନ୍ଧି ଧରି ସଂରକ୍ଷିତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସରକାର ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରିଛନ୍ତି । ୮୫ ବର୍ଷୀୟ ଭାଗବତ ନିଜ ଜୀବନ କାଳରେ ୬୦୦ରୁ ଅଧିକ ଜଣଙ୍କୁ ନୃତ୍ୟ ଶିକ୍ଷା ଦେଇଛନ୍ତି । ୧୯୬୦ ମସିହାରେ ପ୍ରାଥମିକ ଶକ୍ଷିକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ବହୁ ଆର୍ଥିକ ସମସ୍ୟାର ସାମନା କରିବା ସତ୍ତ୍ୱେ ଏହି ଲୋକ ନୃତ୍ୟକୁ ବଞ୍ଚାଇ ରକ୍ଷିବା ପ୍ରତି କେବେ ଅବହେଳା କରି ନାହାନ୍ତି ।

Leave A Reply

Your email address will not be published.