ଏସଡିସିର ଉପଦେଷ୍ଟା ପ୍ରଦୀପ ମାଝିଙ୍କ ମେଡିକାଲ ପରିଦର୍ଶନ

ମାଲକାନଗିରି,୧୩/୧୨: ମାଲକାନଗିରି ଜିଲ୍ଲାରେ ଆଜି ସ୍ବତନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି ପହଞ୍ଚି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଥିଲେ। ଶ୍ରୀ ମାଝି ମେଡିକାଲର ସମସ୍ତ ଵାର୍ଡ ପରିଦର୍ଶନ କରିବା ସହ ରୋଗୀମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସିଡିଏମଓ ଡ.ପ୍ରଫୁଲ କୁମାର ନନ୍ଦ ସହ ସାକ୍ଷାତ କରି ଶ୍ରୀ ମାଝି ମେଡିକାଲରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ହେବା ପରେ ଶ୍ରୀ ମାଝିଙ୍କ ଏହା ମାଲକନଗିରି ଜିଲ୍ଲାକୁ ପ୍ରଥମ ଗସ୍ତ। ଆସନ୍ତାକାଲି ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ସେ ଲୋକଙ୍କ ଦେଉଥିବା ପ୍ରତିଶ୍ରୁତି ପାଳନ କରିଥିବା ନେଇ ଲୋକଙ୍କୁ ଅବଗତ କରାଇବେ ବୋଲି ଜଣାପଡିଛି।ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଆଦିବାସୀଙ୍କ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟା ଜାରି ରଖିଥିବା କହିଥିଲେ।ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଫୋକସ କରୁଥିବାରୁ ସେ ଏହି ଜିଲ୍ଲାର ଉନ୍ନତିରେ ଭାଗିଦାରୀ ହେବେ ବୋଲି କହିଥିଲେ।ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଉପରେ ସାରା ଜିଲ୍ଲାର ରୋଗୀଙ୍କ ସମେତ ପଡୋଶୀ ଛତିଶଗଡର ଶହ ଶହ ରୋଗୀ ନିର୍ଭର କରୁଛନ୍ତି।ତେଣୁ ଶ୍ରୀ ମାଝି ପ୍ରଥମେ ମେଡିକାଲର ରୂପରେଖ ବଦଳାଇବାକୁ ଚାହୁଁଥିବା ଜଣାପଡିଛି। ମାଲକାନଗିରି ପ୍ରତି ତାଙ୍କର ଦୁର୍ବଳତା ରହିଥିବାରୁ ସେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିକାଶ କ୍ଷେତ୍ରରେ ସେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି। ବରିଷ୍ଟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ,ରାଜ୍ୟ ବିଜେଡି ଛାତ୍ର ସମ୍ପାଦକ ରବି ରାଜେଶ୍, ଡାକ୍ତର ସପନ କୁମାର ଦିଣ୍ଡା ଓ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.