କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଜର୍ଜଙ୍କ ଇସ୍ତଫା

ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ପୂର୍ବତନ ବିଧାୟକ ତଥା ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି। ୫ଟି କାରଣ ପାଇଁ ପଦ ଛାଡିଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରଥମଟି ହେଉଛି- ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି।

ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଦ୍ବିତୀୟରେ, ନିକଟ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା। ଫଳରେ ତାଙ୍କୁ ଦଳ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା। ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍‌ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ। ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା।

ସେପ‌ଟେ ଜର୍ଜ ତିର୍କୀଙ୍କ ଇସ୍ତଫାକୁ ନେଇ ଜିଲ୍ଲା କଂଗ୍ରେସର କର୍ମୀଙ୍କର ଚିନ୍ତା ବଢ଼ିଛି। ଆଗାମୀ ଦିନରେ ଜିଲ୍ଲାର କଂଗ୍ରେସ ସ୍ଥିତି ବଜାୟ ରଖିବାକୁ କିଏ ମଙ୍ଗ ଧରିବ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.