mobile header

ଅଭିଶାପ ରନ୍ ଆଉଟ୍

କେପ୍‌ଟାଉନ୍‌: ପୁଣିଥରେ ଧୂଳିସାତ ହୋଇଛି ଭାରତର ଟି-୨୦ ବିଶ୍ୱକପ ବିଜୟୀ ହେବା ଆଶା । ୫ ରନରେ ପରାଜିତ ହୋଇଉ ମହିଳା ଟି-୨୦ ବିଶ୍ୱକପରେ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । କେପଟାଉନରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ କଙ୍ଗାରୁ ଦଳ ଠାରୁ ପରାଜିତ ହୋଇ ଟାଇଟଲ ରେସରୁ ବାଦ୍ ପଡିଛି ଟିମ୍ ଇଣ୍ଡିଆ । ୧୭୩ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଲଢେଇ କରିଥିଲେ ମଧ୍ୟ ବାଜି ମାରି ନେଇଥିଲା ଅଷ୍ଟ୍ରେଲିଆ ।

କେପଟାଉନରେ ଖେଳାଯାଇଥିବା ସେମିଫାଇନାଲ ବେଶ ରୋମାଞ୍ଚକର ଥିଲା । କେତେବେଳେ ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିଲା ତ ପୁଣି କେତେବେଳେ ଅଷ୍ଟ୍ରେଲିଆ କମବ୍ୟାକ୍ କରୁଥିଲା । ତେବେ କ୍ରିଜରେ ଭାରତର ଅଧିନାୟକ ହରମନପ୍ରୀତ କୌର ଥିବା ପର୍ଯ୍ୟନ୍ତ ଦଳର ବିଜୟ ସମ୍ଭାବନା ଅଷ୍ଟ୍ରେଲିଆ ଠାରୁ ଅଧିକ ଥିଲା । ହରମନପ୍ରୀତଙ୍କ ଦ୍ରୁତ ଅର୍ଦ୍ଧଶତକ ସହ ଭାରତ ବିଜୟର ନିକଟତର ହେଉଥିଲା । କିନ୍ତୁ ଭାରତ ପାଇଁ ପୁଣିଥରେ ସେମିଫାଇନାଲରେ ଅଭିଶାପ ସାଜିଥିଲା ରନ୍ ଆଉଟ୍ । ୧୫ ତମ ଓଭରର ଚତୁର୍ଥ ବଲରେ ହରମନପ୍ରୀତ ରନଆଉଟ ହେବା ମ୍ୟାଚର ଫଳାଫଳକୁ ଓଲଟପାଲଟ କରି ଦେଇଥିଲା । ଦୁଇ ରନ ନେବାକୁ ପ୍ରୟାସ କରୁଥିବା ବେଳେ କ୍ରିଜରେ ପହଞ୍ଚିବା ପୂର୍ବରୁ ହରମନପ୍ରୀତଙ୍କ ବ୍ୟାଟ ଅଟକି ଯାଇଥିଲା । ହରମନପ୍ରୀତଙ୍କ ବ୍ୟାଟ କ୍ରିଜର କେଇ ଇଞ୍ଚ ଦୂରରେ ରହି ଯାଇଥିଲା ଏବଂ ରନ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ ଭାରତର ଅଧିନାୟିକା । ଏହି ଠାରୁ ହିଁ ବଦଳିଥିଲା ମ୍ୟାଚର ମୋଡ । ଶେଷ ପର୍ଯ୍ୟନ୍ତ ଦଳ ଲଢେଇ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ପରାଜୟ ସହ ଭାରତ ଟାଇଟଲ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି ।

ଏହା ପ୍ରଥମଥର ନୁହେଁ ଯେବେ ଭାରତ ପାଇଁ ସେମିଫାଇନାଲରେ ଅଭିଶାପ ପାଲଟିଛି ରନ୍ ଆଉଟ । ଏହାପୂର୍ବରୁ ୨୦୧୯ ବିଶ୍ୱକପରେ ମଧ୍ୟ ଭାରତକୁ ସମଦଶା ଭୋଗିବାକୁ ପଡିଥିଲା । ସେମିଫାଇନାଲରେ ଧୋନୀଙ୍କ ରନ୍ ଆଉଟ ଭାରତକୁ ଫାଇନାଲ ରେସରୁ ଆଉଟ କରିଥିଲା । ୨୦୧୯ ବିଶ୍ୱକପରେ ଭାରତ ୨୪୦ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ଭାରତ ବିଜୟର ନିକଟତର ହେଉଥିଲା । କାରଣ କ୍ରିଜରେ ୫୦ ରନ୍ କରି ଅପରାଜିତ ଥିଲେ ମହେନ୍ଦ୍ର ସିଂ ଧୋନୀ । ତେବେ ହରମନପ୍ରୀତଙ୍କ ଭଳି ଧୋନୀ ମଧ୍ୟ ଦୁଇ ରନ୍ ନେବାକୁ ପ୍ରୟାସ କରୁଥିବା ବେଳେ ମାର୍ଟିନ ଗୁପ୍ଟିଲଙ୍କ ଡାଇରେକ୍ଟ ଥ୍ରୋରେ ଅପ୍ରତ୍ୟାଶିତ ଭାବେ ରନ୍ ଆଉଟ ହୋଇଥିଲେ । କ୍ରିଜ ଓ ବ୍ୟାଟ ମଧ୍ୟରେ ମାତ୍ର କେଇ ଇଞ୍ଚର ଦୂରତା ଭାରତର ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ କରିଥିଲା । ଏବେ ହରମନପ୍ରୀତ ମଧ୍ୟ ସମାନ ଢଙ୍ଗରେ ଆଉଟ ହେବା ଭାରତୀୟ ଫ୍ୟାନଙ୍କ ହୃଦୟ ଭାଙ୍ଗି ଦେଇଛି । ଏନେଇ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି କହିଛନ୍ତି, କ୍ରିଜ ଉପରେ ମ୍ୟାଚ୍ ବିଜେତା ଓ ସେମିଫାଇନାଲରେ ରନ୍ ଆଉଟ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଆମର ହୃଦୟ ଭାଙ୍ଗିଛି । ଆମେ ମ୍ୟାଚର ବିଜୟ ଆଡକୁ ଅଗ୍ରସର ହେଉଥିଲୁ କିନ୍ତୁ ଅଷ୍ଟ୍ରେଲିଆ ପୁଣିଥରେ ପ୍ରମାଣିତ କଲା ଯେ, କାହିଁକି ତାଙ୍କୁ ହରାଇବା କଷ୍ଟକର । ତଥାପି ଭାରତୀୟ ମହିଳା ଦଳ ବହୁତ ଭଲ ପ୍ରଦର୍ଶନ କରିଛି । ଏଭଳି କହି ଟିମ୍ ଇଣ୍ଡିଆର ମନୋବଳ ବଢାଇଛନ୍ତି ସେହୱାଗ ।

Leave A Reply

Your email address will not be published.