ଅଜିତ ଅଗରକର ହେଲେ ‍ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା

ଚୟନ କମିଟିର ମୁଖ୍ୟ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା।

ମୁମ୍ବାଇ: ଭାରତର ପୂର୍ବତନ ଦ୍ରୁତ ବୋଲର ଅଲରାଉଣ୍ଡର ଅଜିତ ଅଗରକର ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି। ଚୟନ କମିଟିର ମୁଖ୍ୟ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା।

ଏବେ ଅଗରକରଙ୍କୁ ବିସିସିଆଇ ଏହି ପଦରେ ନିଯୁକ୍ତି ଦେଇଛି। ଚେତନ ଶର୍ମାଙ୍କ ପରେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ହୋଇଥିବା ବେଳେ ଶିବ ସୁନ୍ଦର ଚୟନ କମିଟିର ଅନ୍ୟତମ ସଦସ୍ୟ ଭାବେ କାମ କରିବେ।

ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା ଓ ଜତୀନ ପରାନଜାପେଙ୍କୁ ନେଇ ଗଠିତ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ଚୟନ କମିଟିରେ ଖାଲି ପଡ଼ିଥିବା ଗୋଟିଏ ପଦ ପାଇଁ ଆବେଦନ କରିଥିବା ଆଶାୟୀଙ୍କ ସାକ୍ଷାତକାର ନେଇଥିଲେ। ଏହାପରେ ସିଏସିର ୩ ଜଣ ଯାକ ସଦସ୍ୟ ସର୍ବସମ୍ମତିକ୍ରମେ ଅଜିତ ଅଗରକରଙ୍କ ନାଁ ଉକ୍ତ ପଦ ପାଇଁ ସୁପାରିସ କରିଥିଲେ। ବିସିସିଆଇ ଏହି ସୁପାରିସ ଉପରେ ମୋହର ମାରିଛି।

୪୫ ବର୍ଷୀୟ ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହାବାଦ ସେ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିବା ବେଳେ ଉକ୍ତ ଟିମରେ ଅଗରକର ରହିଥିଲେ।

୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦିନିକିଆରେ କୌଣସି ଭାରତୀୟ ଏହି ରେକର୍ଡକୁ ଏଯାଏ ଭାଙ୍ଗି ପାରି ନାହାନ୍ତି। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ମାତ୍ର ୨୩ଟି ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।

ଅଗରକରଙ୍କ ନିଯୁକ୍ତି ପରେ ଚୟନ କମିଟିରେ ପଶ୍ଚିମ ଜୋନରୁ ଦୁଇ ଜଣ ସଦସ୍ୟ ହୋଇଯାଇଛନ୍ତି। ଚୟନ କମିଟିରେ ପୂର୍ବରୁ ହିଁ ସଲିଲ ଅଙ୍କୋଲା ରହିଛନ୍ତି। ସେ ପଶ୍ଚିମ ଜୋନରୁ ଆସିଛନ୍ତି। କମିଟିରେ ଥିବା ଅନ୍ୟ ୩ ଜଣ ହେଲେ ଶିବ ସୁନ୍ଦର ଦାସ, ଏସ୍‌ ଶରତ ଓ ସୁବ୍ରତ ବାନାର୍ଜୀ।

ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ଚୟନକର୍ତ୍ତା ଭାବେ ଅଗରକରଙ୍କ ନିଯୁକ୍ତି ନିଶ୍ଚିତ ଥିଲା । କାରଣ ଏହି ଦୌଡ଼ରେ ସେ ଏକମାତ୍ର ଦାବିଦାର ଥିଲେ । ସାକ୍ଷାତକାର ବେଳେ ସେ ହିଁ ଏକମାତ୍ର ଉପସ୍ଥିତ (ଭର୍ଚୁଆଲ ମୋଡରେ) ହୋଇଥିଲେ ।

ଟି-୨୦ ବିଶ୍ୱକପରେ ପରାଜୟ ପରେ ଚେତନ ଶର୍ମାଙ୍କ ସମେତ ସମଗ୍ର ଚୟନ ସମିତିକୁ ବିଦା କରାଯାଇଥିଲା । ତେବେ ନୂଆ ଚୟନ କମିଟି ଗଠନ ହୋଇନଥିବାରୁ ଚେତନ ଶର୍ମା ନିଜ ପଦରେ ରହିଥିଲେ। ଏହାପରେ ଫେବ୍ରୁଆରି ମାସରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଚେତନ ଶର୍ମା କହିଥିଲେ ଯେ ଭାରତୀୟ କ୍ରିକେଟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଇଞ୍ଜେକ୍ସନ ଦେଇ ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ଖେଳୁଛନ୍ତି। ଏହି ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମାଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଥିଲା ଏବଂ ସେବେଠାରୁ ଶିବ ସୁନ୍ଦର ଦାସ ମଧ୍ୟ ବର୍ତ୍ତୀକାଳୀନ ଭାବେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିଲେ ।

ସେପଟେ ଆଗକୁ ବିଶ୍ୱକପ ଆସୁଥିବାରୁ ଅଜିତ ଅଗରଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ହୋଇପାରେ ।

Leave A Reply

Your email address will not be published.