ବଦଳିଲା ବର୍ଷ, ବଦଳିଗଲା ନିୟମ, ଜାଣି ରଖନ୍ତୁ ବ୍ୟାଙ୍କ ଲକରରୁ ନେଇ କ୍ରେଡିକାର୍ଡ ସମ୍ପର୍କିତ ନୂଆ ରୁଲସ୍, ସାରା ବର୍ଷ ରହିବେ ଲାଭରେ

ନୂଆଦିଲ୍ଲୀ ୧।୧: ନୂଆ ଆଶା ଓ ଉଲ୍ଲାସର ସହ ସାରା ବିଶ୍ୱକୁ ଆସି ସାରିଛି ନୂଆ ବର୍ଷ ୨୦୨୩। ନୂଆ ବର୍ଷରେ ଅନେକ ନିୟମରେ ପିରବର୍ତ୍ତନ ହୋଇଛି। ଯେଉଁଥିରେ ପର୍ସନାଲ ଫାଇନାନ୍ସ ସମ୍ପର୍କିତ କିଛି ନିୟମ ମଧ୍ୟ ବଦଳିଛି ଯାହା ୧ ଜାନୁୟାରୀରୁ ସାରା ଦେଶରେ ଲାଗୁ ହୋଇଯାଇଛି। ଏଥିରେ ବ୍ୟାଙ୍କ ଲକର, ଇନ୍ୟୁସାନ୍ସ ପଲିସି, କ୍ରେଡିଟ କାର୍ଡ ଓ ଏନପିଏସ ସମ୍ପର୍କିତ ନିୟମ ମଧ୍ୟ ବଦଳିଛି।

ଏହି ଯୋଜନା ଓ ସୁବିଧା ସମ୍ପର୍କିତ ନିୟମ ୧ ଜାନୁୟାରୀ ୨୦୨୩ରୁ ପ୍ରଭାବୀ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଯାହା ଆପଣଙ୍କ ବ୍ୟକ୍ତିଗତ ନିବେଶ ସମ୍ପର୍କିତ ଓ ଆପଣଙ୍କୁ ନିଶ୍ଚିତ ରୂପେ ପ୍ରଭାବିତ କରିବ।

ବଦଳିଲା ଏନପିଏସ ଆଂଶିକ ଉଠାଣ ନିୟମ:
ନ୍ୟାସନାଲ ପେନସନ୍ ସ୍କିମ (ଏନପିଏସ)ରେ ଯୋଗଦାନ କରୁଥିବା ଆକାଉଣ୍ଟଧାରୀଙ୍କ ଲାଗି ପେନସନ ନିୟାମକ ଓ ବିକାଶ ପ୍ରାଧିକରଣ ଏନପିଏସ୍ ଉଠାଣକୁ ନେଇ ଏକ ନୂଆ ଆଦେଶ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ କ୍ଷେତ୍ର ଅର୍ଥାତ କେନ୍ଦ୍ର, ରାଜ୍ୟ ଅଥବା କେନ୍ଦ୍ରୀୟ ସ୍ୱାୟତ୍ତ ସଂସ୍ଥାଙ୍କ ଗ୍ରାହକ ଏବେ ଆଂଶିକ ଉଠାଣ ଲାଗି ସେମାନଙ୍କ ଆବେଦନ ଜମା କରିପାରିବେ। ଏହାକୁ କେବଳ ନୋଡାଲ ଅଧିକାରୀଙ୍କ ନିକଟରେ ଜମା କରାଯାଇପାରିବ।

ଇନସ୍ୟୋରାନ୍ସ କ୍ରୟ ଲାଗି କେୱାଇସି ଅନିବାର୍ଯ୍ୟ:
ଜାନୁୟାରୀ ୧ ତାରିଖରୁ ବୀମା ପଲିସି କ୍ରୟ କରୁଥିବା ଗ୍ରାହକଙ୍କୁ ସେମାନଙ୍କର କେୱାଇସି କାଗଜପତ୍ର ବାଧ୍ୟତାମୂଳକ ଭାବେ ଉପଲବ୍ଧ କରିବାକୁ ପଡିବ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ(ଆଇଆରଡିଏଆଇ) ସବୁପ୍ରକାର ଲାଇଫ, ହେଲଥ୍ ଓ ଜେନେରାଲ ଇନସ୍ୟୋରାନ୍ସ କ୍ରୟ ଲାଗି କେୱାଇସି ମାନଦଣ୍ଡ ଅନିବାର୍ଯ୍ୟ କରିଛନ୍ତି।

ଜାଣିରଖନ୍ତୁ ବ୍ୟାଙ୍କ ଲକର ସମ୍ପର୍କିତ ନିୟମ:
ଜାନୁୟାରୀ ୧ ତାରିଖରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଲକର ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ଗ୍ରାହକ କ୍ଷତିରେ ପଡିବା ବଦଳେ ଅଧିକ ଲାଭରେ ରହିବେ। ଏଥିଲାଗି ଲକର ଏଗ୍ରିମେଣ୍ଟ ଅପଡେଟ୍ କରିବାକୁ ପଡିବ। ଆରବିଆଇଙ୍କ ଏହି ନୂଆ ନିୟମ ଅନୁସାରେ ଯଦି ଲକରରେ ରଖାଯାଇଥିବା ସାମଗ୍ରୀ ନଷ୍ଟ ହୁଏ ତେବେ ଏଥିଲାଗି ବ୍ୟାଙ୍କକୁ ଦାୟୀ କରାଯାଇ ପାରିବ।

କ୍ରେଡିଟକାର୍ଡ ନିୟମରେ ପରିବର୍ତ୍ତନ:
ଜାନୁୟାରୀ ୨୦୨୩ରୁ ବ୍ୟାଙ୍କ ଦ୍ୱାରା କ୍ରେଡିଟ କାର୍ଡ ପୈଠ ଲାଗି ଦିଆଯାଉଥିବା ରିୱାର୍ଡ ପଏଣ୍ଟ ଯୋଜନାରେ ପରିବର୍ତ୍ତନ ହୋଇପାରେ। ଏଥିଲାଗି ଆପଣଙ୍କୁ ୩୧ ଡିସେମ୍ବର ସୁଦ୍ଧା କ୍ରେଡିଟ କାର୍ଡ ରିୱାର୍ଡ ପଏଣ୍ଟସ୍‌କୁ ରିଡିମ କରିବାକୁ ପଡିବ।

ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ସମ୍ପର୍କିତ ନିୟମ:
ମୋଟର ଭେଇକିଲ ଆକ୍ଟ ନିୟମ ଅନୁସାରେ ୧ ଜାନୁୟାରୀ ୨୦୨୩ରୁ ଏଚଏସଆରପି ଓ କଲର କୋଡେଡ ଷ୍ଟିକର ସବୁ ବାହନ ଲାଗି ଅନିବାର୍ଯ୍ୟ ହୋଇଯାଇଛି। ଏହି ନିୟମ ପାଳନ ନ କଲେ ଯେ କୌଣସି ବାହନକୁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା କରାଯାଇପାରେ। ୨ ଚକିଆ ବାହନ ଲାଗି ଏପରି ନମ୍ବର ପ୍ଲେଟ ପାଇବା ପାଇଁ ୩୬୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୪ ଚକିଆ ବାହନ ଲାଗି ୬୦୦ ଟଙ୍କାରୁ ଆରମ୍ଭ କରି ୧,୧୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.