ପ୍ରକାଶ ହେଲା ଇଲେକ୍ଟରାଲ ରୋଲ-୨୦୨୩: ମାଲକାନଗିରି ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ମାଲକାନଗରି, ୦୫/୦୧/୨୩: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଭୋଟର ତାଲିକା -୨୦୨୩କୁ ପ୍ରକାଶନ କରାଯାଇଛି । ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି। ଉତ୍ତମ ଭାବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲାରେ ଭୋଟରଙ୍କ ଅନୁପାତରେ ବୃଦ୍ଧି ଘଟିଛି। ଆଦିମ ଜନଜାତି ଭୋଟରଙ୍କ ଅନୁପାତ ମଧ୍ଯ ବୃଦ୍ଧି ଘଟିଛି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୩ ସମୟରେ ରାଜନୈତିକ ଦଳ ମାନଙ୍କର ସହଯୋଗ ଏବଂ ସମନ୍ଵୟ ଯୋଗୁଁ ଏହି ତାଲିକା ପ୍ରକାଶ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଆମ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ରହିଛି । ପ୍ରତି ୧୦୦୦ ପୁରୁଷଙ୍କ ପିଛା ୧୦୫୫ ଜଣ ମହିଳା ଭୋଟର ରହିଛନ୍ତି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରକାଶ କରିଛନ୍ତି।

ସୂଚନା ଥାଉ କି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧିନରେ ଜିଲ୍ଲାରେ ଫର୍ମ-୬ ମାଧ୍ୟମରେ ୨୦ ହଜାର ୧୪୮ ଜଣ ଯୋଗ ନିମନ୍ତେ ଆବେଦନ କରିଥିଲେ। ୬,୭୧୧ ଜଣ ବ୍ୟକ୍ତି ଆବେଦନ ଓ ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ-୭ ମାଧ୍ୟମରେ ଦାଖଲ କରିଥିଲେ। ସେହିପରି ଫର୍ମ-୮ ମାଧ୍ୟମରେ ୩୨୬୨ ଜଣ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିଥିଲେ। ସର୍ବମୋଟ ଜିଲ୍ଲାରେ ୩୦ ହଜାର ୧୨୧ ଜଣ ଏହି କାର୍ଯ୍ୟକ୍ରମ ଅଧିନରେ ପଞ୍ଜିକରଣ ନିମନ୍ତେ ଆବେଦନ କରିଥିଲେ l

ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୫ ହଜାର ୧୫୫ ଜଣ ପୁରୁଷ, ୧ ଲକ୍ଷ ୧୮ ହଜାର ୮୩୬ ଜଣ ମହିଳା ଓ ୩୧ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୯୩ ହଜାର ୯୨୪ ଜଣ ପୁରୁଷ, ୧ ଲକ୍ଷ ୨ ହଜାର ୪ ଶହ ମହିଳା ଓ ୧୧ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ସର୍ବମୋଟ ଜିଲ୍ଲାରେ ୪ ଲକ୍ଷ ୩୦ ହଜାର ୩୫୭ ଜଣ ଭୋଟର ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ପକ୍ଷରୁ ଶ୍ରୀ ମାଣିକ ଚକ୍ରବର୍ତ୍ତୀ, ବିଜେଡି ପକ୍ଷରୁ ଶ୍ରୀ ଧନୁର୍ଜୟ ମାଡ଼କାମୀ, ସିପିଆଇ (ଏମ୍) ପକ୍ଷରୁ ଶ୍ରୀ ବ୍ରଜ ମାଝୀ, ବିଏସପି ପକ୍ଷରୁ ଶ୍ରୀ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ ଶ୍ରୀ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ। ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ରହିଥିଲେ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.