ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି: ୧୯୮୬ ବ୍ୟାଚର ଆଇପିଏସ୍ ପ୍ରବୀଣ ସୁଦ୍

ବେଙ୍ଗାଲୁରୁ: ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ। ପ୍ରବୀଣ ସୁଦ ୧୯୮୬ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ ଥିବା ବେଳେ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି କମିଟି ଦ୍ବାରା ୩ଜଣ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀଙ୍କୁ ‘ସିବିଆଇ’ର ନିର୍ଦ୍ଦେଶକ ପଦ ପାଇଁ ତାଲିକାଭୁକ୍ତ କରାଯାଇଥିବା ସାମ୍ନାକୁ ଆସିଥିଲା। ବୈଠକ ସମୟରେ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ‘ଆଇପିଏସ୍’ ଅଧିକାରୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ସେଥିରୁ କର୍ଣ୍ଣାଟକର ‘ଡିଜିପି’ ପ୍ରବୀଣ ସୁଦ୍‌, ମଧ୍ୟପ୍ରଦେଶ ‘ଡିଜିପି’ ସୁଧୀର କୁମାର ସକ୍ସେନା ଓ ଫାୟାର୍‌ ସର୍ଭିସ୍‌, ସିଭିଲ୍‌ ଡିଫେନ୍‌ସ୍‌ ଏବଂ ହୋମ୍‌ ଗାର୍ଡର ‘ଡିଜି’ ତାଜ୍‌ ହସନ୍‌ଙ୍କ ନାଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇ କ୍ୟାବିନେଟ୍‌ର ନିଯୁକ୍ତି କମିଟିକୁ ପଠାଇ ଦିଆଯାଇଥିଲା। ଏବେ ୩ଜଣକ ମଧ୍ୟରୁ ପ୍ରବୀଣ ସୁଦଙ୍କୁ ଦାୟିତ୍ବ ଦିଆଯାଇଛି।

ବର୍ତ୍ତମାନ ସିବିଆଇ ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁବୋଧ କୁମାର ଜୈସୱାଲଙ୍କ ୨ ବର୍ଷିଆ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ। ଏହାପରେ ପ୍ରବୀଣ ସୁଦ ନୂଆ ସିବିଆଇ ମୁଖ୍ୟ କାର୍ଯ୍ୟ ଆରମ୍ଭ କରିବେ

ପ୍ରବୀଣ ହେଉଛନ୍ତି ୧୯୮୬ ଆପିଏସ୍‌ ବ୍ୟାଚ୍‌ର ଷ୍ଟେଟ କ୍ୟାଡର। ମାର୍ଚ୍ଚ ମାସରେ ପ୍ରବୀଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ସେ କର୍ଣ୍ଣାଟକା ବିଜେପି ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଥିଲେ। ଏଥିସହ ପ୍ରବୀଣ କଂଗ୍ରେସ ନେତାଙ୍କ ବିରୋଧରେ ମିଥ୍ୟା କେସ୍‌ କରୁଥିବାରୁ ତାଙ୍କ ଗିରଫ କରାଯାଉ ବୋଲି ଶିବକୁମାର ଦାବି କରିଥିଲେ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ, ସିଜେଆଇ ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ପ୍ରବୀଣଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ ଦେଇଛନ୍ତି। ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ସାଧାରଣତଃ ୨ ବର୍ଷ। କିନ୍ତୁ ଏହାକୁ ଅତି ବେଶୀରେ ୫ ବର୍ଷ ଯାଏ ବୃଦ୍ଧି କରାଯାଇ ପାରିବ।

Leave A Reply

Your email address will not be published.